ନିଜର ପଦାର୍ପଣକାରୀ ବିଶ୍ୱକପର ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅପରାଜିତ ଶତକ ମାରି ବିଶ୍ୱବିଜେତା ଇଂଲଣ୍ଡକୁ ଏକାପାଖିଆ ଭାବେ ହରାଇଥିବା ରାଚିନ୍ ରବୀନ୍ଦ୍ର ରାତାରାତି ବିଶ୍ୱ କ୍ରିକେଟର ଅନ୍ୟତମ ଚର୍ଚ୍ଚିତ ଷ୍ଟାର୍ ପାଲଟିଛନ୍ତି । ଭାରତୀୟ ବଂଶୋଦ୍ଭବ ରାଚିନ୍ ତାଙ୍କର ଏହି ପାଳିରେ ୯୬ ବଲ୍ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୫ ଛକା ମାରି ୧୨୩ ରନର ଅପରାଜିତ ତଥା ଆକର୍ଷଣୀୟ ଇନିଂସ ଖେଳିଥିଲେ । ଓପନର୍ ଡେଭନ୍ କନୱେଙ୍କ ସହ କୀର୍ତ୍ତିମାନ ଭରା ଅପରକାଜିତ ୨୭୩ ରନ୍ର ଭାଗୀଦାରି ଗଢି ନ୍ୟୁଜିଲାଣ୍ଡକୁ ୯ ୱିକେଟ୍ରେ ଜିତାଇଥିଲେ ।
![ବିଶ୍ୱକପର ନୂଆ ହିରୋ । ରାହୁଲ୍ + ସଚିନ୍ = ରାଚିନ୍ । ଜାଣନ୍ତୁ ଏହି ନାମ ପଛରେ ଥିବା ରହସ୍ୟ । 1 images 2023 10 08T041156.591](https://cricketsambad.in/wp-content/uploads/2023/10/images-2023-10-08T041156.591.jpeg)
ଏବେ ବିଶ୍ୱକପରେ ନ୍ୟୁଜିଲାଣ୍ଡର ପ୍ରମୁଖ ବ୍ୟାଟର ପାଲଟି ଥିବା ରାଚିନ୍ ଭାରତରେ ଯଦିଓ ଦୁଇ ବର୍ଷ ପୂର୍ବରୁ ଖେଳି ସାରିଛନ୍ତି, କିନ୍ତୁ ଏବେ ତାଙ୍କ ନାମକରଣକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଅଧିକ ହେଉଛି । ୱେଲିଂଟନ୍ରେ ରାଚିନ୍ଙ୍କ ଜନ୍ମ ହୋଇଥିଲା ବେଳେ ବାପା ରବି କ୍ରିଷ୍ଣମୂର୍ତ୍ତି ଓ ଦୀପା କ୍ରିଷ୍ଣମୂର୍ତ୍ତି ହେଉଛନ୍ତି କ୍ରିକେଟ୍ର ବଡ଼ ପ୍ରଶଂସକ । ଉଭୟ ସଫ୍ଟୱେର କମ୍ପାନି ହଟ୍ ହକ୍ସ କ୍ଲବ୍ର ପ୍ରତିଷ୍ଠାତା ଥିବାବେଳେ ୧୯୯୦ରେ ବେଙ୍ଗାଲୁରୁରୁ ନ୍ୟୁଜିଲାଣ୍ଡ ଚାଲି ଯାଇଥିଲେ ।
![ବିଶ୍ୱକପର ନୂଆ ହିରୋ । ରାହୁଲ୍ + ସଚିନ୍ = ରାଚିନ୍ । ଜାଣନ୍ତୁ ଏହି ନାମ ପଛରେ ଥିବା ରହସ୍ୟ । 2 rachin ravindras conection with sachin tendulkar and rahul dravid 2023 10 e47f0cb9e499e825d4c11fda4ce64f5e 3x2 1](https://cricketsambad.in/wp-content/uploads/2023/10/rachin-ravindras-conection-with-sachin-tendulkar-and-rahul-dravid-2023-10-e47f0cb9e499e825d4c11fda4ce64f5e-3x2-1-1024x683.jpg)
ପୁଅ ଜନ୍ମ ହେବା ପରେ ରାହୁଲ ଦ୍ରାବିଡ଼ ଓ ସଚିନ୍ ତେନ୍ଦୁଲକରଙ୍କ ନାମକୁ ଯୋଡ଼ି ରାଚିନ୍ ନାମକରଣ କରିଥିଲେ । ରାହୁଲ୍ରୁ ‘ରା’ ଓ ସଚିନ୍ରୁ ‘ଚିନ୍’ ଅଣାଯାଇ ଏହି ନାମ ରଖା ଯାଇଥିଲା । ରାଚିନ୍ ମଧ୍ୟ କ୍ରିକେଟ୍କୁ ବହୁତ ଭଲ ପାଉଥିଲେ । ପ୍ରଥମ ଥର ପାଇଁ ସେ ନ୍ୟୁଜିଲାଣ୍ଡ ୧୯ ବର୍ଷରୁ କମ୍ ଦଳରେ ସ୍ଥାନ ପାଇବା ସହ ୨୦୧୬ ଓ ୨୦୧୮ କନିଷ୍ଠ ବିଶ୍ବକପ୍ରେ ଖେଳିଥିଲେ । ଘରୋଇ କ୍ରିକେଟ୍ରେ ରାଚିନ୍ ସମସ୍ତଙ୍କୁ ପ୍ରଭାବିତ କରି ପାରିଥିଲେ । ଯାହା ଫଳରେ ୨୦୨୧ ମସିହାରେ ଜାତୀୟ ବରିଷ୍ଠ ଦଳରେ ପଦାର୍ପଣ ସୁଯୋଗ ପାଇଥିଲେ ।
![ବିଶ୍ୱକପର ନୂଆ ହିରୋ । ରାହୁଲ୍ + ସଚିନ୍ = ରାଚିନ୍ । ଜାଣନ୍ତୁ ଏହି ନାମ ପଛରେ ଥିବା ରହସ୍ୟ । 3 images 2023 10 08T041255.518](https://cricketsambad.in/wp-content/uploads/2023/10/images-2023-10-08T041255.518.jpeg)
ଟେଷ୍ଟ ପଦାର୍ପଣ ପୂର୍ବରୁ ୬ଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳି ସାରିଥିଲା ବେଳେ ଦିନିକିଆ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ । ତେବେ ଘରୋଇ କ୍ରିକେଟ୍ ଓ ଟେଷ୍ଟ ମ୍ୟାଚ୍ରେ କିଛି ଭଲ ପାଳି ତାଙ୍କୁ ଦିନିକିଆ ଦଳରେ ସ୍ଥାୟୀ ସଦସ୍ୟ କରି ପାରିଥିଲା । ଏବେ ଭାରତରେ ନ୍ୟୁଜିଲାଣ୍ଡକୁ ପ୍ରଥମ ବିଶ୍ବକପ୍ ଟ୍ରଫି ଭେଟିଦେବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହୋଇଯାଇଛି । ଗୁରୁବାର ସଚିନ ତେନ୍ଦୁଲକର ବିଶ୍ବକପ୍ ଟ୍ରଫି ସହ ଏହାକୁ ଉଦ୍ଘାଟନ କରିବା ପରେ ତାଙ୍କୁ ଅନୁକରଣ କରିଥିବା ରାଚିନ୍ ସେହି ପଡ଼ିଆରେ ବିଶ୍ବକପ୍ ଶତକ ହାସଲ କରି ଏହାକୁ ଅଧିକ ସ୍ମରଣୀୟ ରଖିଛନ୍ତି ।