କ୍ରିକେଟରେ ପ୍ରତିଦିନ କିଛି ନା କିଛି ରେକର୍ଡ ସୃଷ୍ଟି ହୋଇଥାଏ ଏବଂ ଅନେକ ରେକର୍ଡ ଭାଙ୍ଗିଥାଏ । ଏଭଳି ଅନେକ ରେକର୍ଡ ରହିଛି, ଯାହା ଦୀର୍ଘ ଦିନରୁ କୌଣସି ଖେଳାଳି ଭାଙ୍ଗିବାରେ ସଫଳ ହୋଇ ପାରି ନାହାନ୍ତି । ତେବେ କେବଳ ଆନ୍ତର୍ଜାତୀୟ ମ୍ୟାଚ ନୁହେଁ, ଫାଷ୍ଟ କ୍ଲାସ କ୍ରଅିକେଟରେ ମଧ୍ୟ ଏଭଳି ଅନେକ ରେକର୍ଡ ଇତିହାସ ସୃଷ୍ଟି କରିଛି । ଆଜି ଏଭଳି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ହାଇଦ୍ରାବାଦର ଷ୍ଟାର ଓପନର ତନ୍ମୟ ଅଗ୍ରୱାଲ ।
ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ମାରି ସେ ନିଜକୁ ବିଶ୍ୱ ରେକର୍ଡରେ ସାମିଲ କରିଛନ୍ତି । ଅରୁଣାଚଳ ପ୍ରଦେଶ ବିପକ୍ଷରେ ଟ୍ରିପଲ ସେଞ୍ଚୁରୀ ସହ ୨ଟି ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି ତନ୍ମୟ । କୌଣସି ଏକ ଫାଷ୍ଟ କ୍ଲାସ ଇନିଂସରେ ସର୍ବାଧିକ ଛକା ମାରିବା ତାଲିକାର ଶୀର୍ଷ ସ୍ତାନରେ ପହଞ୍ଚିଛନ୍ତି ତନ୍ମୟ ଅଗ୍ରୱାଲ । ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ସେ ମୋଟି ୨୬ଟି ବିଶାଳ ଛକା ମାରି ଏହି ରେକର୍ଡ କରିଛନ୍ତି ।
ମାତ୍ର ୧୪୭ ବଲରେ ୩୬୬ ରନର ବିସ୍ଫୋରକ ପାଳି ଖେଳି ରେକର୍ଡ ପରେ ରେକର୍ଡ ନିଜ ନାମରେ କରିଛନ୍ତି ତନ୍ମୟ । ପ୍ରଥମ ଶ୍ରେଣୀ କ୍ରିକେଟରେ ସବୁଠାରୁ ଦ୍ରୁତ ଗତିରେ ତ୍ରିଶତକ ହାସଲ କରିବାରେ ତାଲିକାରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି । ତେବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଭାବରେ ବ୍ରାୟନ ଲାରାଙ୍କ ୫୦୧ ନଟଆଉଟ ରେକର୍ଡ ଭାଙ୍ଗିବା ପୂର୍ବରୁ ତନ୍ମୟ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ତେବେ ଏହି ଇନିଂସରେ ତନ୍ମୟ ମୋଟ ୨୬ଟି ଛକା ଏବଂ ୩୪ଟି ଚୌକା ମାରିଛନ୍ତି । ଏହାସହ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଏହି ରେକର୍ଡ ନ୍ୟୁଜିଲାଣ୍ଡର କଲିନ୍ ମୁନରୋଙ୍କ ନାମରେ ରହିଥିଲା । ୨୦୧୫ ମସିହାରେ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ବିପକ୍ଷରେ ମୋଟ ୨୩ଟି ଛକା ମାରିଥିଲେ ମୁନରୋ । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନର ଶାଫିକୁଲ୍ଲା ସିନ୍ୱାରୀ, ଯିଏ ବୁଷ୍ଟ ବିପକ୍ଷରେ କାବୁଲ ଜୋନ୍ ପାଇଁ ୨୨ ଛକା ମାରିଛନ୍ତି । ଭାରତୀୟ ଘରୋଇ କ୍ରିକେଟରେ ଇଶାନ କିଶାନ ଏବଂ ଶକ୍ତି ସିଂ ମିଳିତ ଭାବେ ସର୍ବାଧିକ ୧୪ ଟି ଲେଖାଏଁ ଛକା ମାରିଥିଲେ ।